ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପ୍ରଦେଶ ସରକାର ରାଜ୍ୟରେ କେଶ ସଂଗ୍ରହ କେନ୍ଦ୍ର ସ୍ଥାପନ କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହା ସ୍ଥାପନ କରାଯିବ। ବାରିକମାନଙ୍କଠାରୁ କେଜି ପିଛା ୪୦ ଟଙ୍କାରେ କେଶ କିଣିବେ। ଏହି କେଶ ସହିତ ଗୋମୂତ୍ର ଓ ଗୋବର ମିଶାଇ ଆମିନୋ ଏସିଡ୍ ପ୍ରସ୍ତୁତ କରିବାର ଯୋଜନା କରାଯାଇଛି। ଏଥିପାଇଁ ଲକ୍ଷ୍ନୌ ଓ କାନପୁର ସମେତ ରାଜ୍ୟର ୧୦ଟି ସହରରେ କେଶ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିଲାଗି ଏକ କମ୍ପାନି ସହିତ ସରକାରଙ୍କର ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ସାରିଛି।
କର୍ଣ୍ଣାଟକର ଏକ କମ୍ପାନି ରାଜ୍ୟ ସରକାରଙ୍କ ଗ୍ରାମ ଉଦ୍ୟୋଗ ବିଭାଗକୁ ଏଭଳି ପ୍ରସ୍ତାବ ଦେଇଥିଲେ। ତା’ପରେ ଉତ୍ତର ପ୍ରଦେଶ ସରକାର ଏଥିନେଇ ଯୋଜନା କରିଥିଲେ। କମ୍ପାନି ତା’ର କେତେକ ଉତ୍ପାଦ ପ୍ରସ୍ତୁତି ଲାଗି ମାସିକ ୨ ଲକ୍ଷ ଲିଟର ଆମିନୋ ଏସିଡ୍ ଆବଶ୍ୟକ କରୁଛି। ଆମିନୋ ଏସିଡର ଲିଟର ପିଛା ଦର ୧୫୦ଟଙ୍କା ରହିବ ବୋଲି କୁହାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟର ବାରିକମାନେ ଅତିରିକ୍ତ ରୋଜଗାର ପାଇବେ ବୋଲି ଖଦି ଗ୍ରାମ ଉଦ୍ୟୋଗ ମନ୍ତ୍ରୀ କହିଛନ୍ତି।











